Friday, July 24, 2026

League of Lois Lanes: ମଲ୍ଟିଵର୍ସର ରକ୍ଷାକଵଚ ଏଵଂ ନାରୀ ଶକ୍ତିର ଏକ ଅନନ୍ୟ ରୂପ

କାଳ୍ପନିକ କାହାଣୀ ଜଗତରେ 'ମଲ୍ଟିଵର୍ସ' ଵା ବହୁମୁଖୀ ଵିଶ୍ୱର ଅଵଧାରଣା ନୂଆ ନୁହେଁ। କିନ୍ତୁ ଯେତେବେଳେ ଏହି ମଲ୍ଟିଵର୍ସକୁ ସୁରକ୍ଷା ଦେଵା ପାଇଁ କେଵଳ କୌଣସି ପାରମ୍ପରିକ ସୁପରହିରୋ ନୁହେଁ ଵରଂ ଜଣେ ସାହସୀ ଓ ଦକ୍ଷ ସାମ୍ବାଦିକାଙ୍କ ଵିଭିନ୍ନ ରୂପ ଏକାଠି ହୁଅନ୍ତି, ସେତେବେଳେ କାହାଣୀରେ ଏକ ନୂଆ ରୋମାଞ୍ଚ ଆସିଥାଏ। ଆମେରିକୀୟ ଆନିମେଟେଡ ସିରିଜ୍ My Adventures with Supermanର ପ୍ରଥମ ସିଜନର ସପ୍ତମ ଏପିସୋଡ୍ "Kiss Kiss Fall in Portal" ରେ ଏଭଳି ଏକ ଅଦ୍ଭୁତ ସଂଗଠନର ପରିଚୟ ମିଳିଥିଲା, ଯାହାର ନାମ ହେଉଛି League of Lois Lanes । ଡିସି କମିକ୍ସର ମୂଳ ପୃଷ୍ଠାରୁ ଏହା ସିଧାସଳଖ ଆସିନଥିଲେ ମଧ୍ୟ, ଵର୍ତ୍ତମାନର Spider-Verse ଭଳି ଲୋକପ୍ରିୟ ମଲ୍ଟିଵର୍ସାଲ୍ କାହାଣୀରୁ ପ୍ରେରଣା ନେଇ ଏହି ରୋଚକ ଅଵଧାରଣାର ସୃଷ୍ଟି କରାଯାଇଛି।

ଲିଗ୍ ଅଫ୍ ଲୁଇସ୍ ଲେନ୍ସର ଉତ୍ପତ୍ତି ଓ ଏହାର ମୂଳ ଦର୍ଶନ ବେଶ୍ ଆକର୍ଷଣୀୟ। ଏହା ହେଉଛି ଏକ ଆନ୍ତଃ-ବିଶ୍ୱ ବା ମଲ୍ଟିଵର୍ସାଲ ଶାନ୍ତିରକ୍ଷା ସଂଗଠନ, ଯହିଁରେ ବ୍ରହ୍ମାଣ୍ଡର ଭିନ୍ନ ଭିନ୍ନ ସମାନ୍ତରାଳ ଦୁନିଆ ଵା Parallel Universesରେ ରହୁଥିବା ଲୁଇସ୍ ଲେନ୍‌ଙ୍କ ପ୍ରତିରୂପ ଵା ଡୋପେଲଗାଙ୍ଗରମାନେ ଜଡ଼ିତ ଅଛନ୍ତି। ଏହି ଵିଶାଳ ସଂଗଠନର ପ୍ରତିଷ୍ଠା କରିଛନ୍ତି Lois Prime । ସେ ହେଉଛନ୍ତି 1941 ମସିହାର ପ୍ରସିଦ୍ଧ ମାକ୍ସ ଫ୍ଲେଇସର ସୁପରମ୍ୟାନ୍ ଆନିମେଟେଡ୍ ସିରିଜର ଲୁଇସ୍ ଲେନ୍, ଯିଏ ପ୍ରଥମେ ମଲ୍ଟିଵର୍ସର ସନ୍ଧାନ ପାଇଥିଲେ ଏଵଂ ଏହାର ଗୁପ୍ତ ରହସ୍ୟକୁ ଆଵିଷ୍କାର କରିଥିଲେ।

ଏହି ଲିଗ୍ ଗଠନ କରିଵାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମଗ୍ର ମଲ୍ଟିଵର୍ସକୁ ଵିପଦରୁ ରକ୍ଷା କରିଵା ଵିଶେଷତଃ ସେହି ସୁପରମ୍ୟାନ୍‌ମାନଙ୍କଠାରୁ ଯେଉଁମାନେ ନିଜ ନିଜ ଵିଶ୍ୱରେ କ୍ଷମତାର ଅପଵ୍ୟଵହାର କରି ଖରାପ କିମ୍ବା ଅତ୍ୟାଚାରୀ ସାଜିଛନ୍ତି। 

ଲିଗ୍‌ର ଵିଶ୍ୱାସ ଅନୁଯାୟୀ, ସୁପରମ୍ୟାନ୍‌ଙ୍କ ପାଖରେ ଥିଵା ଅସୀମ ଶକ୍ତି ଯଦି ଭୁଲ୍ ଦିଗରେ ପରିଚାଳିତ ହୁଏ, ତେବେ ତାହା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ଧ୍ୱଂସ କରିଦେଇପାରେ। ତେଣୁ ସେମାନଙ୍କୁ ରୋକିଵା ପାଇଁ କେଵଳ ଜଣେ ଲୁଇସ୍ ଲେନ୍ ହିଁ ଯୋଗ୍ୟ। ଏହି ସଂଗଠନ କେଵଳ ସେହି ଲୁଇସ୍ ଲେନ୍‌ମାନଙ୍କୁ ନିଜ ଦଳରେ ସ୍ଥାନ ଦିଏ ଯେଉଁମାନେ ନିଜର ଦକ୍ଷତା, ଅସୀମ ସାହସ ଓ ସାମ୍ବାଦିକତା କ୍ଷେତ୍ରରେ ନାୟକତ୍ୱର ପ୍ରମାଣ ଦେଇଛନ୍ତି। କେଵଳ ସେତିକି ନୁହେଁ, ଆଵଶ୍ୟକ ସ୍ଥଳେ ଏହି ଲିଗ୍ କିଛି ଵିଶ୍ୱର ଜିମି ଓଲସେନ୍‌ଙ୍କ ଭିନ୍ନ ରୂପକୁ ମଧ୍ୟ ସଦସ୍ୟ ଭାବେ ଗ୍ରହଣ କରିଥାଏ । ଏହି ସଂଗଠନର କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଏହାକୁ ଅନ୍ୟ ସୁପରହିରୋ ଟିମ୍‌ଠାରୁ ଅଲଗା କରିଥାଏ । ଏହି ଲିଗ୍‌ରେ Earth-1, Earth-24, ଏବଂ Earth-52 ଭଳି ଅନେକ ବ୍ରହ୍ମାଣ୍ଡର ଲୁଇସ୍ ଲେନ୍ କାର୍ଯ୍ୟ କରନ୍ତି। ଏହି ସଦସ୍ୟମାନଙ୍କ ମଧ୍ୟରେ କେହି ପୁଲିଟଜର ପୁରସ୍କାର ଜିତିଥିଵା ଶୀର୍ଷ ସାମ୍ବାଦିକା ତ କେହି ସିଧାସଳଖ ଯୁଦ୍ଧ କ୍ଷେତ୍ରରେ ଲଢ଼ୁଥିଵା ଵୀରାଙ୍ଗନା। ଏହା ଲୁଇସ୍ ଚରିତ୍ରର ଵିଵିଧତା ଓ ଵ୍ୟକ୍ତିତ୍ୱକୁ ଦର୍ଶାଇଥାଏ। ଏଥି ସହିତ Jalana Olsen ନାମକ ଜଣେ ଜିମି ଓଲସେନ୍‌ଙ୍କ ରୂପ ମଧ୍ୟ ଏହି ଦଳର ଏକ ପ୍ରମୁଖ ଅଂଶ। ସେମାନଙ୍କର ଏକ ହାଇ-ଟେକ୍ ଗୁପ୍ତ ମୁଖ୍ୟାଳୟ ରହିଛି, ଯାହା ସମୟ ଓ ସ୍ଥାନର ସୀମା ବାହାରେ ଅଵସ୍ଥିତ। ଏହି ମୁଖ୍ୟାଳୟରେ ମଲ୍ଟିଵର୍ସର ସମସ୍ତ ଗତିଵିଧି ଉପରେ ନଜର ରଖିଵାପାଇଁ ଶକ୍ତିଶାଳୀ ସୁପର-କମ୍ପ୍ୟୁଟର ରହିଛି। ଏହା ସହିତ ଏଠାରେ ପଞ୍ଚମ ଆୟାମର (5th Dimension) ରହସ୍ୟମୟ ଜୀଵ Mr. Mxyzptlkର ଏକ ଅତି ଶକ୍ତିଶାଳୀ ଯାଦୁକରୀ ଟୋପି (Hat) କୁ ସୁରକ୍ଷିତ ଭାବେ ରଖାଯାଇଛି, ଯାହା ମଲ୍ଟିଵର୍ସରେ ଯାତ୍ରା କରିଵା ପାଇଁ ସେମାନଙ୍କୁ ସାହାଯ୍ୟ କରେ।

ଏହି ଲିଗ୍ ସବୁବେଳେ ସତ୍ୟ, ନ୍ୟାୟ ଏଵଂ ମଲ୍ଟିଵର୍ସର ସ୍ଥିରତା ପାଇଁ ପ୍ରତିବଦ୍ଧ। କିନ୍ତୁ ସେମାନଙ୍କର କାର୍ଯ୍ୟଶୈଳୀ କେତେକ ସମୟରେ ଅତି କଠୋର ଓ ଆକ୍ରମଣାତ୍ମକ ହୋଇଥାଏ। ଯେକୌଣସି ଵିଶ୍ୱର ସୁପରମ୍ୟାନ୍ ଯଦି ସାମାନ୍ୟତମ ଵିପଜ୍ଜନକ ମନେହୁଅନ୍ତି, ତେବେ ଲିଗ୍ ତାଙ୍କୁ ରୋକିଵା ପାଇଁ କୌଣସି ବି ପଦକ୍ଷେପ ନେଵାକୁ ପଛାଏ ନାହିଁ, ଯାହା କାହାଣୀରେ ଏକ ନୈତିକ ଦ୍ୱନ୍ଦ୍ୱ ଵା Moral Complexity ସୃଷ୍ଟି କରେ।
My Adventures with Supermanରେ 
"Kiss Kiss Fall in Portal" ଏପିସୋଡରେ ଏହି ସଂଗଠନର କାର୍ଯ୍ୟକଳାପକୁ ପ୍ରଥମ କରି ପରଦା ଉପରକୁ ଅଣାଯାଇଥିଲା। ଏହି କାହାଣୀରେ Mr. Mxyzptlk ଲିଗ୍‌ର କାରାଗାରରୁ କୌଶଳରେ ଖସି ପଳାଇ ବ୍ରହ୍ମାଣ୍ଡ Earth-12 ରେ ପହଞ୍ଚିଯାଏ। ସେଠାରେ ସେ ନିଜର ଚତୁରତା ଦ୍ୱାରା ସେହି ଵିଶ୍ୱର ସୁପରମ୍ୟାନ୍ (କ୍ଲାର୍କ କେଣ୍ଟ)କୁ ନିଜ ନିୟନ୍ତ୍ରଣକୁ ନେଇଯାଏ। ଏହି ସୂଚନା ପାଇଵା ପରେ ଲିଗ୍ ଅଫ୍ ଲୁଇସ୍ ଲେନ୍ସ ତୁରନ୍ତ ସକ୍ରିୟ ହୋଇଉଠେ ଏଵଂ Mr. Mxyzptlkକୁ ଧରିଵା ପାଇଁ Earth-12ର ଲୁଇସ୍ ଲେନ୍ ଏଵଂ ଜିମି ଓଲସେନ୍‌ଙ୍କୁ ନିଜ ଦଳରେ ନିଯୁକ୍ତ କରେ।

ଏହି ମିଶନ ସମୟରେ ଲିଗ୍ ଓ ସୁପରମ୍ୟାନ୍‌ଙ୍କ ମଧ୍ୟରେ ଏକ ବଡ଼ ସଂଘର୍ଷ ଦେଖିଵାକୁ ମିଳେ। ଲିଗ୍‌ର ସଦସ୍ୟମାନେ ପୂର୍ଵରୁ ଅନେକ ଖରାପ ସୁପରମ୍ୟାନ୍‌ଙ୍କୁ ଦେଖିଥିଵାରୁ, ସେମାନେ Earth-12ର ସୁପରମ୍ୟାନ୍‌ଙ୍କୁ ମଧ୍ୟ ସନ୍ଦେହ ଚକ୍ଷୁରେ ଦେଖନ୍ତି। ତାଙ୍କୁ ଦମନ କରିଵା ପାଇଁ ସେମାନେ ମାରାତ୍ମକ କ୍ରିପ୍ଟୋନାଇଟ୍ (Kryptonite) ଅସ୍ତ୍ର ଵ୍ୟଵହାର କରନ୍ତି। ଏହା ଦେଖି Earth-12ର ଲୁଇସ୍ ଲେନ୍ ଗଭୀର ନୈତିକ ଦ୍ୱନ୍ଦ୍ୱରେ ପଡ଼ିଯାନ୍ତି କାରଣ ସେ ଜାଣିଥିଲେ ଯେ ତାଙ୍କ କ୍ଲାର୍କ କେଣ୍ଟ ହୃଦୟରୁ ଜଣେ ଭଲ ମଣିଷ।

ଏହି ଏପିସୋଡର ମୁଖ୍ୟ ଘଟଣା ସେତେବେଳେ ଘଟେ, ଯେତେବେଳେ Earth-12ର ଲୁଇସ୍ (ଯାହାକୁ ଲିଗ୍ ସଦସ୍ୟମାନେ 'Fun Lois' ବୋଲି ଡାକନ୍ତି) Lois Primeର ଵ୍ୟକ୍ତିଗତ ରେକର୍ଡର ଏକ ସ୍ୱତନ୍ତ୍ର ଚାବି (Key) ଵ୍ୟଵହାର କରି ଲିଗ୍ ମୁଖ୍ୟାଳୟରେ ପ୍ରବେଶ କରନ୍ତି। ସେଠାରେ ସେ "Superman – File X" ନାମକ ଏକ ଅତି ଗୋପନୀୟ ଫାଇଲ୍ ଖୋଜି ପାଆନ୍ତି। ଏହି ଫାଇଲ୍‌ରେ ମଲ୍ଟିଵର୍ସର ସେହି ସମସ୍ତ ସୁପରମ୍ୟାନ୍‌ମାନଙ୍କ ଵିଷୟରେ ତଥ୍ୟ ଥାଏ, ଯେଉଁମାନେ ନିଜ ନିଜ ଦୁନିଆରେ କ୍ଷମତାର ଅପଵ୍ୟଵହାର କରି ସୈତାନ ପାଲଟି ଯାଇଛନ୍ତି। ଶେଷରେ, ଲିଗ୍ ସଦସ୍ୟ Jalana Olsen ଗୁପ୍ତ ଭାବେ Earth-12ର ଲୁଇସ୍, କ୍ଲାର୍କ ଓ ଜିମିଙ୍କୁ ସେମାନଙ୍କ ନିଜ ବିଶ୍ୱକୁ ସୁରକ୍ଷିତ ଭାବେ ଫେରାଇ ଦିଅନ୍ତି ଏଵଂ ଲିଗ୍‌ର ଡାଟାବେସରୁ ସେମାନଙ୍କ ଵିଶ୍ୱର ସ୍ଥାନାଙ୍କ ଵା Coordinatesକୁ ସମ୍ପୂର୍ଣ୍ଣ ରୂପେ ଲିଭାଇ ଦିଅନ୍ତି।
ଏହି ବିଚିତ୍ର ଲିଗ୍‌ରେ କିଛି ନିର୍ଦ୍ଦିଷ୍ଟ ସଦସ୍ୟଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ।‌ Lois Prime ହେଉଛନ୍ତି ସମଗ୍ର ସଂଗଠନର ମେରୁଦଣ୍ଡ। 1941ର କ୍ଲାସିକ୍ ମାକ୍ସ ଫ୍ଲେଇସର କାର୍ଟୁନ୍‌ରୁ ଆସିଥିବା ଏହି ଲଏସ୍ ବେଶ୍ ଗମ୍ଭୀର, ଅଭିଜ୍ଞ ଏଵଂ ମଲ୍ଟିଵର୍ସର ରକ୍ଷା ପାଇଁ ସର୍ଵଦା ତତ୍ପର।
Jalana Olsen ଜଣେ ଵିକଳ୍ପ ଜିମି ଓଲସେନ୍। ସେ ଲିଗ୍‌ରେ ରହି କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ଭିତ୍ତିରେ ମାନଵିକତା ଭରପୂର ରହିଛି। ସେଥିପାଇଁ ସେ ନିଜ ସଂଗଠନର ନିୟମ ଵିରୁଦ୍ଧରେ ଯାଇ ମଧ୍ୟ Earth-12ର ନାୟକମାନଙ୍କୁ ସାହାଯ୍ୟ କରିଥିଲେ। ଏହି ଦଳରେ ଵିଭିନ୍ନ ଆନିମେଟେଡ ଵିଶ୍ୱର ଲୁଇସ୍ ଲେନ୍ ମଧ୍ୟ ସାମିଲ ଅଛନ୍ତି। 

ସାଧାରଣତଃ ସୁପରମ୍ୟାନ୍ କାହାଣୀଗୁଡ଼ିକରେ ଲୁଇସ୍ ଲେନ୍‌ଙ୍କୁ ଜଣେ ସହଯୋଗୀ କିମ୍ବା ରକ୍ଷା ସାଉଁଟୁଥିଵା ଚରିତ୍ର ଭାବେ ଦେଖାଯାଇଥାଏ। କିନ୍ତୁ ଏହି ଲିଗ୍ ତାଙ୍କୁ ଏକ ସ୍ୱାଧୀନ, ଆତ୍ମନିର୍ଭରଶୀଳ ଓ ଶକ୍ତିଶାଳୀ ନାୟିକା ଭାବେ ଉପସ୍ଥାପନ କରେ, ଯିଏ ନିଜେ ମଲ୍ଟିଵର୍ସକୁ ନିୟନ୍ତ୍ରଣ ଓ ସୁରକ୍ଷା ଦେଵାର କ୍ଷମତା ରଖନ୍ତି। ଏହା ଲଏସ୍‌ଙ୍କ ସାମ୍ବାଦିକ ସହଜବୁଦ୍ଧି ଏଵଂ ସତ୍ୟ ଅନ୍ୱେଷଣର ଗୁଣକୁ ଆଧାର କରି ଗଢ଼ି ଉଠିଛି।


ଡିସି କମିକ୍ସର ଇତିହାସ ସହ ଏହାର ସମ୍ପର୍କ ପରୋକ୍ଷ କିନ୍ତୁ ଗଭୀର। କମିକ୍ସରେ ପୂର୍ଵରୁ ମଧ୍ୟ ମଲ୍ଟିଵର୍ସର ଵ୍ୟଵହାର ହୋଇଛି, ଯେପରିକି Earth-Twoର ଲୁଇସ୍ ଲେନ୍ ଯିଏ ସେହି ଵିଶ୍ୱର ସୁପରମ୍ୟାନ୍‌ଙ୍କୁ ଵିଵାହ କରିଥିଲେ କିମ୍ବା କେତେକ କମିକ୍ସରେ ଲୁଇସ୍ 'Superwoman' ରୂପରେ ମଧ୍ୟ ନଜର ଆସିଛନ୍ତି। ଏହି ସିରିଜ୍‌ରେ ଦେଖାଯାଇଥିଵା Earth-12ର ଲୁଇସ୍ ଲେନ୍‌ଙ୍କ କୋରିଆନ୍ ଐତିହ୍ୟ (Korean Heritage) ଚରିତ୍ରଟିକୁ ଅଧିକ ଆଧୁନିକ ଓ ପ୍ରାସଙ୍ଗିକ କରିପାରିଛି।
ପ୍ରଶଂସକମାନଙ୍କ ମଧ୍ୟରେ ଏହି ସଂଗଠନକୁ ନେଇ ବେଶ୍ ଉତ୍ସାହ ପ୍ରକାଶ ପାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଅନେକ ଲୋକ ଏହାକୁ ସ୍ପାଇଡର-ମ୍ୟାନ୍‌ର 'ସ୍ପାଇଡର-ସୋସାଇଟି' କିମ୍ବା 'କାଉନସିଲ୍ ଅଫ୍ ରିକ୍ସ' ସହିତ ତୁଳନା କରି ପ୍ରଶଂସା କରିଥିଲେ। ତେବେ କିଛି ପ୍ରଶଂସକ ଏକ ପ୍ରଶ୍ନ ମଧ୍ୟ ଉଠାଇଥିଲେ ଯେ, ଯଦି ଏହା ମଲ୍ଟିଵର୍ସର ଲିଗ୍, ତେବେ ଏହାର ଅଧିକାଂଶ ସଦସ୍ୟ ଦୃଶ୍ୟତଃ (Visually) Earth-12 ର ଲୁଇସ୍ ଲେନ୍‌ଙ୍କ ସହ କାହିଁକି ଏତେ ସମାନ ଦେଖାଯାଉଛନ୍ତି? କାହାଣୀରେ ଅନ୍ୟାନ୍ୟ ଭିନ୍ନ ଚେହେରାର ଲୁଇସ୍ ଲେନ୍‌ଙ୍କୁ ଆହୁରି ଅଧିକ ସ୍ଥାନ ମିଳିଵାର ଥିଲା ବୋଲି ସେମାନେ ମତ ଦେଇଥିଲେ।

ଭବିଷ୍ୟତ କାହାଣୀ ଦୃଷ୍ଟିକୋଣରୁ ଏହି ଲିଗ୍‌ର ଭୂମିକା ଅତି ମହତ୍ତ୍ୱପୂର୍ଣ୍ଣ ମନେହୁଏ। Mr. Mxyzptlk ର ଖସିଯିଵା ଏଵଂ ଗୁପ୍ତ “File X” ର ରହସ୍ୟ ଉନ୍ମୋଚନ ହେଵା ଏକ ସ୍ପଷ୍ଟ ସଂକେତ ଦିଏ ଯେ ଆଗାମୀ ଦିନରେ ଏହି ସଂଗଠନ ପୁନର୍ଵାର କାହାଣୀକୁ ଫେରିଵ । ସୁପରମ୍ୟାନ୍‌ଙ୍କ ନୈତିକତା ଏଵଂ ସେ ପ୍ରକୃତରେ ଭଵିଷ୍ୟତରେ ଜଣେ ସୈତାନ ପାଲଟିବେ କି ନାହିଁ, ସେହି ଆଶଙ୍କା Earth-12ର ଲୁଇସ୍‌ଙ୍କ ମନରେ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛି, ଯାହା ଆଗାମୀ ସିଜନଗୁଡ଼ିକର କାହାଣୀକୁ ଅଧିକ ରୋମାଞ୍ଚକର କରିଵ ।

ଅସ୍ତୁ League of Lois Lanes କେଵଳ ଏକ କାଳ୍ପନିକ ସଂଗଠନ ନୁହେଁ ଵରଂ ଏହା ସୁପରମ୍ୟାନ୍ କାହାଣୀର ପାରମ୍ପରିକ ଢାଞ୍ଚାକୁ ଭାଙ୍ଗି ଏକ ନୂଆ ଦିଗ ଦେଵାର ସଫଳ ପ୍ରୟାସ। ଏହା ଦର୍ଶାଏ ଯେ ବ୍ରହ୍ମାଣ୍ଡକୁ ବଞ୍ଚାଇଵା ପାଇଁ ସବୁବେଳେ କେଵଳ ସୁପର-ପାୱାର୍ ଵା ଅଲୌକିକ ଶକ୍ତିର ଆଵଶ୍ୟକତା ନଥାଏ ଵରଂ ଦୃଢ଼ ଇଚ୍ଛାଶକ୍ତି, ସାମ୍ବାଦିକ ସହଜବୁଦ୍ଧି ଓ ସାହସ ବଳରେ ଜଣେ ସାଧାରଣ ମଣିଷ ମଧ୍ୟ ମଲ୍ଟିଵର୍ସର ରକ୍ଷାକଵଚ ସାଜିପାରେ।

No comments:

Post a Comment

League of Lois Lanes: ମଲ୍ଟିଵର୍ସର ରକ୍ଷାକଵଚ ଏଵଂ ନାରୀ ଶକ୍ତିର ଏକ ଅନନ୍ୟ ରୂପ

କାଳ୍ପନିକ କାହାଣୀ ଜଗତରେ 'ମଲ୍ଟିଵର୍ସ' ଵା ବହୁମୁଖୀ ଵିଶ୍ୱର ଅଵଧାରଣା ନୂଆ ନୁହେଁ। କିନ୍ତୁ ଯେତେବେଳେ ଏହି ମଲ୍ଟିଵର୍ସକୁ ସୁରକ୍ଷା ଦେଵା ପାଇଁ କେଵଳ କୌଣସି ...